81

ଜେଲରୁ ଫେରି ପତ୍ନୀଙ୍କ ସହ ମନ୍ଦିର ପରିଦର୍ଶନ କଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇବା ପରେ ହନୁମାନ ମନ୍ଦିର ଯାଇ ବଜରଙ୍ଗବାଲିଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ତାଙ୍କ ସହ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ୍‌ ମଧ୍ୟ ହନୁମାନ ମନ୍ଦିର ପରିଦର୍ଶନ କରିଥିବାର ଦେଖିବାକୁ ମିଳିଛି।

ନ୍ୟାୟିକ ହେପାଜତରେ ୪୦ ଦିନ ରହିବା ପରେ ଶୁକ୍ରବାର ରାତିରେ ତିହାର ଜେଲରୁ ବାହାରିଥିବା କେଜ୍ରିୱାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ, ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏବଂ ଦିଲ୍ଲୀ ମନ୍ତ୍ରୀ ଅତିଶୀ ମଧ୍ୟ ଉପସ୍ଥିତ ଥିଲେ।

ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେର ଫେର ମାମଲାରେ ମାର୍ଚ୍ଚ ୨୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିବା ପରେ କେଜ୍ରିୱାଲ ତିହାର ଜେଲରୁ ଗତକାଲି ସଂଧ୍ୟାରେ ବାହାରିଛନ୍ତି। ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ପ୍ରଚାର ପାଇଁ ତାଙ୍କୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। ଜେଲ୍‌ରୁ ବାହାରକୁ ବାହାରିବା ପରେ ସେ ସୁପ୍ରିମ୍‌କୋର୍ଟଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

କେଜ୍ରିୱାଲ ଆଜି ଅପରାହ୍ନ ୧ଟାରେ ଦଳୀୟ କାର୍ଯ୍ୟାଳୟ‌ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କେଜ୍ରିୱାଲ ଦୁଇଟି ରୋଡ୍ ସୋ’ର ଆୟୋଜନ କରିବେ। ଗୋଟିଏ ଦକ୍ଷିଣ ଦିଲ୍ଲୀରେ ଅପରାହ୍ନ ୪ଟା ଏବଂ ଅନ୍ୟଟି ପୂର୍ବ ଦିଲ୍ଲୀରେ ସନ୍ଧ୍ୟା ୬ ଟାରେ ହେବ ବୋଲି ସୂଚନା ରହିଛି। ‌ଏହି ରୋଡ୍‌ ସୋ’ରେ ସେ ଆପ୍‌ ପାଇଁ ନିର୍ବାଚନୀ ପ୍ରଚାର କରିବେ।

Spread the love