କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । କଟକ ଏସଡ଼ିଜେଏମ୍ ଅଦାଲତରେ ଏ ନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଆସନ୍ତା ୭ ତାରିଖରେ ତାହାର ଶୁଣାଣି ଧାର୍ଯ୍ୟ ହୋଇଛି ।ସୂଚନା ଅନୁସାରେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ଆଇନର ଧାରା ୨୦୦୫ର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛନ୍ତି । ସେ ଏଥିରେ କେତେକ ନିର୍ଦିଷ୍ଟ ଅଭିଯୋଗ ଆଣିବା ସହ ତାଙ୍କଠାରୁ କ୍ଷତିପୂରଣ ଦାବି କରିଛନ୍ତି । ତେବେ ନିର୍ଦିଷ୍ଟ ଭାବରେ ଅନୁଭବଙ୍କ ବିରୋଧରେ ବର୍ଷା କେଉଁକେଉଁ ଅଭିଯୋଗ ଆଣିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ ସେ ଭବିଷ୍ୟତରେ ଜୀଇବା ପାଇଁ କ୍ଷତିପୂରଣ, ଘରଭଡ଼ା, ଚିକିତ୍ସା ଖର୍ଚ ଆଦି ଦାବି କରିଥିବା ଜଣାପଡ଼ିଛି । ଅନ୍ୟଏକ ସୂତ୍ରରୁ ମିଳିଥିବା ଅନୁସାରେ ବର୍ଷା ତାଙ୍କ ସ୍ବାମୀଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିବା ସହ ବିଭିନ୍ନ ବାବଦରେ ୧୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଏହାବ୍ୟତୀତ ମାସିକ ଘରଭଡ଼ା ଓ ଭରଣପୋଷଣ ନିମନ୍ତେ ୭୦ ହଜାର ଟଙ୍କା ପ୍ରଦାନ ନିମନ୍ତେ ନିର୍ଦେଶ ଦେବାକୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କିନ୍ତୁ ବର୍ଷା ଏ ସଂପର୍କରେ ମୁହଁ ଖୋଲି ନାହାନ୍ତି ଓ ତାଙ୍କ ଆଇନଜୀବୀ ମଧ୍ୟ ଏ ନେଇ କୌଣସି ମତାମତ ଦେବାକୁ ମନା କରିଛନ୍ତି ।
141