97

ଭାରିଗଦା ଗ୍ରାମପଂଚାୟତରୁ ଆରମ୍ଭ ହେଲା ବନ୍ୟା ବିପନ୍ନଙ୍କୁ ରିଲିଫ୍ ପ୍ରଦାନ

ରାଜକନିକା,୨/୯(ଓଡିଆନ ମିଡିଆ): ବନ୍ୟା ବିପନ୍ନଙ୍କୁ ପ୍ରତି ପରିବାର ହିସାବରେ ୫୦ କେଜି ଚାଉଳ ଏବଂ ପାଂଚଶହ ଟଙ୍କା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ରାଜକନିକା ବ୍ଲକ୍‌ରେ ବୁଧବାର ବ୍ଲକ୍ ପ୍ରଶାସନ ପକ୍ଷରୁ ରିଲିଫ୍ ପ୍ରଦାନ ଆରମ୍ଭ କରାଯାଇଛି । ଭାରିଗଦା ଗ୍ରାମପଂଚାତରେ ଏହି ରିଲିଫ୍ ପ୍ରଦାନ କାର୍ଯ୍ୟକ୍ରମକୁ ବିଡ଼ିଓ ବିକ୍ରମ କିଶୋର ପରିଡ଼ା ଶୁଭାରମ୍ଭ କରିଛନ୍ତି । ରାଜକନିକା ବ୍ଲକ୍ ଯୋଗାଣ ଅଧିକାରୀ ରବିନାରାୟଣ ବେହେରା, ସରପଂଚ ପ୍ରଦୀପ୍ ମଲ୍ଲିକ, କାର୍ଯ୍ୟନିର୍ବହୀ ଅଧିକାରୀ ସଞ୍ଜୟ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଏକ ନମ୍ବର ୱାଡ଼ର ୪୦ ଜଣ ବନ୍ୟା ବିପନ୍ନଙ୍କୁ ଚାଉଳ ସହିତ ପାଂଚଶହ ଟଙ୍କା ବିଡ଼ିଓ ଶ୍ରୀପରିଡ଼ା ପ୍ରଦାନ କରିଥିଲେ । ଏହି ପଂଚାୟତରେ ୧୮୭୧ ପରିବାର ପ୍ରଦାନ କରାଯିବାବୋଲି ସରପଂଚ ଶ୍ରୀ ମଲ୍ଲିକ କହିଛନ୍ତି । ସରପଂଚଙ୍କ ଉଦ୍ୟମରେ ରାଜକନିକା ବ୍ଲକ୍‌ରେ ପ୍ରଥମ କରି ଭାରିଗଦା ପଂଚାୟତର ଲୋକମାନଙ୍କୁ ରନ୍ଧାଖାଦ୍ୟ, ସୁଖିଲା ଖାଦ୍ୟ, ପାନୀୟ ଜଳ ଯୋଗାଣ ସହିତ ଆଜି ତତ୍କାଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରିଲିଫ୍ ପ୍ରଦାନ କରାଯାଇଥିବାରୁ ବିପନ୍ନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ରାଜକନିକା ବ୍ଲକ୍‌ରେ ସମସ୍ତ ପଂଚାୟତରେ ବନ୍ୟା ବିପନ୍ନଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାଇ ରିଲିଫ୍ ପ୍ରଦାନ କରାଯିବା ନେଇ ବିଡ଼ିଓ ଶ୍ରୀ ପରିଡ଼ା କହିଛନ୍ତି ।
Spread the love