203

ବଢୁଛି ଦୁର୍ଦ୍ଦଶା : ଡ଼ାଳିକାଏନ୍ଦା ଗାଁରେ ବନ୍ୟାପାଣି, ମିଳୁନି ରନ୍ଧାଖାଦ୍ୟ

ରାଜକନିକା,୩୦/୮ :ଖରସ୍ରୋତା ଏବଂ ବୈତରଣୀରେ ବନ୍ୟାପାଣି କମିବାରେ ଲାଗିଛି । ରବିବାର ରାତି ସୁଦ୍ଧା ବନ୍ୟା ପାଣି ଛାଡ଼ୁଥିବାର ଜଣାପଡ଼ିଛି । ବନ୍ୟାପାଣି ଛାଡ଼ୁଥିବା ବେଳେ ବନ୍ୟାଘେରରେ ରହିଥିବା ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ରାଜକନିକା ବ୍ଲକ୍‌ର ସିକୋ ଗ୍ରାମପଂଚାୟତର ଡ଼ାଳିକାଏନ୍ଦା ଗ୍ରାମର ପ୍ରାୟ ୨୦ଟି ପରିବାର ଆଜି ପର୍ଯ୍ୟନ୍ତ ପାଣି ଘେରରେ ରହିଛନ୍ତି । ହେଲେ ଏହି ବିପନ୍ନ ମାନଙ୍କୁ ରନ୍ଧାଖାଦ୍ୟା ଯୋଗାଇ ଦିଆ ଯାଉନଥିବାର ଲୋକମାନେ ଅଭିଯୋଗ କରିଛନ୍ତି । ଏହି ଗ୍ରାମର ୭୦ ବର୍ଷୀୟ ଅନନ୍ତ ସେଠୀ ବଡ଼ ଦୟନୀୟ ଅବସ୍ଥାରେ ଘର ବାହାରେ ଜୀବନ କଟାଉଛନ୍ତି । ପୁଅ ରାଜ୍ୟ ବାହାରେ ରହିଛନ୍ତି । ପାଖରେ ବୋହୁ ଏବଂ ନାତି ନାତୁଣୀ ଅଛନ୍ତି । ହେଲେ ଘରେ ବନ୍ୟାପାଣି ପଶିଯାଇଥିବାରୁ ଚୁଲି ଜଳିପାରି ନାହିଁ । ଭୋକ ଓପାସରେ ରହିଛନ୍ତି ପରିବାର । ଚୁଡ଼ା ଏବଂ ଗୁଡ଼ ଖାଇ ରହିଛନ୍ତି । ବନ୍ୟା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ ବନ୍ୟା ବିପନ୍ନଙ୍କ ନିକଟରେ ରନ୍ଧ୍ୟାଖାଦ୍ୟ ଯୋଗାଇବାରେ ପ୍ରଶାସନ ବିଫଳ ରହିଛି । ରାଜକନିକା ବ୍ଲକ୍‌ରେ ୧୯ଟି ଗ୍ରାମପଂଚାୟତର ୫୨ଟି ଗାଁରେ ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ବନ୍ୟାରେ ପ୍ରାୟ ୫୦ ହଜାର ଅଧିକ ଲୋକ ବନ୍ୟାଘେରରେ ରହିଥିବାର ଜଣାପଡ଼ିଛି । ୧୯ଟି ପଂଚାୟତରେ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମାତ୍ର ୪ ଟି ପଂଚାୟତରେ ରନ୍ଧାଖାଦ୍ୟ ବିପନ୍ନ ମାନଙ୍କୁ ଯୋଗାଇ ଦିଆଯାଉଥିବାର ବିଡ଼ିଓ ବିକ୍ରମ ପରିଡ଼ା କହିଛନ୍ତି । ଆଜି ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ୨୭ଶହ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାର ବ୍ଲକ୍ ପକ୍ଷରୁ କୁହାଯାଇଛି । ଚଳିତ ବନ୍ୟାରେ ୧୭୪ ଘର କ୍ଷତିଗ୍ରସ୍ତ ହୋଇଥିବାର ବିଡ଼ିଓ କହିଛନ୍ତି । ସିକୋ ପଂଚାୟତର ଡ଼ାଳିକାଏନ୍ଦା ଗ୍ରାମରେ ୨୦ଟି ପରିବାର ପାଣିଘେରରେ ରହିଛନ୍ତି । ଏହି ପରିବାରଙ୍କ ଘରେ ବନ୍ୟାପାଣି ପ୍ରବେଶ କରିଥିବାରୁ ଲୋକମାନେ ଭୋକ ଓପାସରେ ରହିଛନ୍ତି । ଦୁଇ ଦିନ ହେଲାଣି ବିପନ୍ନଙ୍କ ନିକଟରେ ରନ୍ଧାଖାଦ୍ୟ ଯୋଗାଇବାରେ ପ୍ରଶାସନ ବିଫଳ ରହିଛି । ଏହି କାରଣକୁ ନେଇ ଲୋକମାନଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏହି ବିପନ୍ନଙ୍କ ନିକଟରେ ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ଜିଲାପାଳଙ୍କ ନିକଟରେ ଗୁହାରି କରିଛନ୍ତି ।
Spread the love