120

ସଂଘର୍ଷମୁକ୍ତ ଧାନ ସଂଗ୍ରହ ପ୍ରକ୍ରିୟା ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ୱ ।

ଗଞ୍ଜାମ,୩୦/୮(ମନୋଜ ପାତ୍ର):ଆସନ୍ତା ବର୍ଷ ଜାନୁଆରୀ ମାସ ଶେଷଠାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଚାଷୀ ମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ ।ଏହାକୁ ଦୃଷ୍ଟିରେ ରଖି ଚାଷୀ ଯେପରି ସଂଘର୍ଷମୁକ୍ତ ହୋଇ ଧାନ ବିକ୍ରୟ କରିପାରିବେ ସେ ଦିଗରେ ସମସ୍ତ ଚୂଡାନ୍ତ ପ୍ରକ୍ରିୟା ଶେଷ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି ।ଧାନ ସଂଗ୍ରହ ପ୍ରକ୍ରିୟାରେ କୌଣସି ତ୍ରୁଟି ନରହିବା ସହ କିଛି ସମସ୍ୟା ଯେପରି ଦେଖାନଯିବ ସେ ଦିଗରେ ସଜାଗ ରହିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆଜି ଅନୁଷ୍ଠିତ ଭିଡିଓ କନ୍ଫରେନ୍ସିଂ ବୈଠକରେ ଜିଲ୍ଲାପାଳ ଜଣାଇଛନ୍ତି ।ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ପଞ୍ଜିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଥିଲେ ।ବିଗତ ବର୍ଷ ଖରିଫ ଧାନ ନିମନ୍ତେ ଜିଲ୍ଲାର ୧ଲକ୍ଷ ୩୪ହଜାର ୪୬୨ଜଣ ଚାଷୀ ପଞ୍ଜିକରଣ କରିଥିଲେ ।ଚଳିତ ବର୍ଷ ଖରିଫ ଧାନ ନିମନ୍ତେ ଏଯାବତ ୧ଲକ୍ଷ ୩ହଜାର ୯୦୯ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ।ଯାହାକି ଶତକଡ଼ା ୭୭% ଅଟେ ।ଯେଉଁ ବ୍ଲକରେ ପଞ୍ଜିକରଣ ସଂଖ୍ୟା କମିଯାଇଛି ୩ଦିନ ମଧ୍ୟରେ ଶେଷ କରିବାକୁ କୁହାଯାଇଛି ।ବଳକା ଥିବା ଚାଷୀ ମାନଙ୍କର ପଞ୍ଜିକରଣ ମିଶନ ମୋଡ଼ରେ କରନ୍ତୁ, କୌଣସି ଚାଷୀ ଯେପରି ପଞ୍ଜିକରଣରୁ ବାଦ ନପଡିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ ।କରୋନା ପରିସ୍ଥିତିରେ କୃଷିକାର୍ଯ୍ୟକୁ ବାଦ ଦେଇ ଆଉ ସବୁ ସ୍ଥଗିତ ରଖାଯାଇଥିଲା ।ତେଣୁ ଏହି ଦିଗ ପ୍ରତି ସମ୍ପୃକ୍ତ ଅଧିକାରୀ ମାନେ ଗୁରୁତ୍ୱ ଦେବାକୁ କହିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ ସମୟରେ ସାମାଜିକ ଦୂରତା ଯେପରି ବଜାୟ ରହିବ ସେ ଦିଗରେ ସଜାଗ ରହିବାକୁ କହିଥିଲେ ।ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁଳ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ଜଣାଇଥିଲେ ।ଏହି ଭିଡିଓ କନ୍ଫରେନ୍ସିଂ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅମିୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବିରେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷ୍ପା ମୁଣ୍ଡା,ବ୍ରହ୍ମପୁର ଡିଭିଜନ ସମବାୟ ଉପନିବନ୍ଧକ ବିଶ୍ୱରଞ୍ଜନ ଦାସ ,ଏ.ଆର.ସି.ଏମ୍ ସୁକାନ୍ତ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love