138

ଆସୁଛି ବନ୍ୟା…

ତଳିଆ ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ ପାଇଁ ପ୍ରଶାସନ ପ୍ରସ୍ତୁତି ।

ରାଜକନିକା,୨୬/୮( ଓଡିଆନ ମିଡିଆ ): ରାଜ୍ୟରେ ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତିଯେ, ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି । ଆଖୁଆପଦା ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । କିନ୍ତୁ ବୈତରଣୀରେ ସବୁ ଜାଗାରେ ବନ୍ଧ ସୁଦୃଢ଼ ରହଥିବାର ସେ କହିଛନ୍ତି । ବିଶେଷ କରି ଯାଜପୁର, ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ବନ୍ୟା ଆଶଙ୍କା ରହିଛି ବୋଲି ସେ ସତର୍କ କରିଛନ୍ତି । ୯ବର୍ଷ ପରେ ପୁଣି ରାଜକନିକା ବ୍ଲକ୍‌ରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ପ୍ରଶାସନ ଆକଳନ କରିଛି । ୨୦୧୧ ମସିହାରେ ରାଜକନିକା ବ୍ଲକ୍‌ରେ ମହାବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବୈତରଣୀ ଏବଂ ଖରସ୍ରୋତା ନଦୀରେ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଏହି ବନ୍ୟାରେ ରାଜକନିକା ବ୍ଲକ୍‌ରେ ୨୯ଟି ଗ୍ରାମପଂଚାୟତ ଏକ ପ୍ରକାର ପ୍ରଭାବିତ ହୋଇପଡ଼ିଥିଲା । ପ୍ରାୟ ୧୫ ଦିନ ଧରି ଲୋକେ ପାଣି ଘେରରେ ରହିଥିଲେ । ତତ୍କାଳୀନ ବିଡ଼ିଓ ତଥା ବର୍ତମାନର ରାୟଗଡ଼ା ଏଡ଼ିଏମ୍ ଶରତ ଚନ୍ଦ୍ର ପଣ୍ଡାଙ୍କ ତତ୍କାଳ ଉଦ୍ୟମ ଯୋଗୁ ବହୁ ଧନଜୀବନ ରକ୍ଷା ପାଇପାରିଥିଲା । ଲୋକମାନେ ସୁରକ୍ଷିତ ଭାବେ ତଳିଆ ଅଂଚଳରୁ ଉଦ୍ଧାର ପାଇଥିଲେ । ଏହା ସହିତ ରନ୍ଧାଖାଦ୍ୟ, ସୁଖିଲା ଖାଦ୍ୟ ଏବଂ ଗୋଖାଦ୍ୟ ବଂଟନ କରାଯାଇ ଲୋକମାନଙ୍କୁ ବିଦପ ସମୟରେ ସାହା ହୋଇଥିଲେ ପ୍ରଶାସନ । ଚଳିତ ବର୍ଷ ସାମ୍ଭାବ୍ୟବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ତଳିଆ ଅଂଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନ ମାନଙ୍କୁ ଆଣିବା ପାଇଁ ବ୍ଲକ୍ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରିଛି । କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ବୁଧବାର ସନ୍ଧ୍ୟାରେ ରାଜକନିକା ବିଡ଼ିଓ ବିକ୍ରମ ପରିଡ଼ାଙ୍କୁ ଫୋନ୍ ମାଧ୍ୟମରେ ତଳିଆ ଅଂଚଳରେ ରହିଥିବା ଲୋକମାନଙ୍କୁ ତୁରନ୍ତ ବାତ୍ୟାଆଶ୍ରୟସ୍ଥଳୀ ଗୁଡ଼ିକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜକନିକା ବ୍ଲକ୍‌ର ପାଂଚ ପଂଚାୟତର ୩୬ଟି ଗାଁକୁ ବନ୍ୟା ବିପଦ ରହିଛି । ଗୁରୁବାର ସକାଳୁ ବିଶେଷ କରି ପଧାନପଡ଼ା, ସାନହଳୁପଡ଼ା, ବଡ଼ହଳୁପଡ଼ା, ବାରାହାଦୋମୁଣ୍ଡା, କନପୁର, ମାନପୁର, ପଣସଗଣ୍ଡ ଏବଂ ପାରିନୂଆପଡ଼ାର ତଳିଆ ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯିବା ନେଇ ବିଡ଼ିଓ ଶ୍ରୀପରିଡ଼ା କହିଛନ୍ତି । ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ଗୁରୁବାର ସକାଳେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ପାଣିପାଗ ଆକଳନରୁ ଜଣାପଡ଼ିଛିଯେ, ଆଗାମୀ ଦୁଇଦିନ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । କେନ୍ଦ୍ରାପଡ଼ା ଜିଲାରେ ଲଘୁଚାପ ବର୍ଷାରେ ବୁଧବାର ୧୯୩ ମିମି ବର୍ଷା ହୋଇଥିବାନେଇ ରେକର୍ଡ଼ କରାଯାଇଛି । ସେହିଭଳି ରାଜକନିକା ବ୍ଲକରେ ୧୮୪ ମିମି ବର୍ଷା ହୋଇଥିବାର ଜଣାପଡ଼ିଛି । ଲଗାଣ ବର୍ଷା କାରଣରୁ ରାଜକନିକା ବ୍ଲକ୍‌ରେ ୭୦ଟି କଚ୍ଚା ଘର ଆଂଶିକ ନଷ୍ଟ ହୋଇଥିବାର ବିଡ଼ିଓ ଶ୍ରୀପରିଡ଼ା ସୂଚନା ଦେଇଛନ୍ତି । ଦୁଇଟି ଯନ୍ତ୍ର ଚାଳିତ ଡ଼ଙ୍ଗା, ଓଡ଼୍ରାଫ୍ ଟିମ୍ ପ୍ରସ୍ତୁତ ରହିଥିବା ବେଳେ ସୁଖିଲା ଖାଦ୍ୟ ସାମଗ୍ରୀ ଗୋଦାମରେ ମହଜୁଦ୍ ରହିଥିବାର ବିଡ଼ିଓ କହିଛନ୍ତି ।
Spread the love