ଭଜନ କୀର୍ତନ ବଦଳରେ ମାସ୍କ ବଂଟନ, ଗାଁ ବିଶୋଧନ ।
ରାଜକନିକା,୨୨/୮(ଓଡିଆନ ମିଡ଼ିଆ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍ ଅନ୍ତର୍ଗତ ବର୍ତ୍ତନୀ ଗ୍ରାମରେ ରହିଥିବା ପୁରାତନ ମା’ କୁଆଁସୀ ମଙ୍ଗଳାଙ୍କ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ କୋଭିଡ଼୍ ନିୟମ ପାଳନ ମଧ୍ୟରେ ଶେଷ ହୋଇଛି । ସାମାଜିକ କର୍ମୀ ବିପ୍ଲବ ବେହୁରା ଏବଂ ତାଙ୍କ ଧର୍ମପତ୍ନୀ ଜୟଶ୍ରୀ ବେହୁରାଙ୍କ ଦ୍ୱାରା ମା’ଙ୍କ ପ୍ରତିଷ୍ଠା ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ପୂଜାବିଧି ଅନୁଯାଇ ସମାପନ କରାଯାଇଥିଲା । ଏହି ଅବସରରେ ପୂଜକ ଗୋକୁଳ ଶତପଥୀଙ୍କ ଦ୍ୱାରା ହୋମ, ଯଜ୍ଞ କରାଯାଇ ମା’ଙ୍କୁ ନୂତନ ମନ୍ଦିରରେ ସ୍ଥାପନା କରାଯାଇଥିଲା । ଏହି ଉତ୍ସବରେ କୌଣସି ଭଜନ କୀର୍ତନ କାର୍ଯ୍ୟକ୍ରମ କରାନଯାଇ ଶ୍ରୀ ବେହୁରାଙ୍କ ଦ୍ୱାରା ଗ୍ରାମକୁ ବିଶୋଧନ କରିବା ସହିତ ଗ୍ରାମର ସମସ୍ତ ଲୋକମାନଙ୍କୁ ମାକ୍ସ ବଂଟନ କରାଯାଇଥିଲା । ଏହା ସହିତ କରୋନା ମହାମାରୀ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ପ୍ରକାଶଥାଉକି ଉପକୂଳ ଓଡ଼ିଶାରେ ତଅପୋଈଙ୍କ ଆଖ୍ୟାୟନ ସହିତ ରହିଛି ଐତିହାସିକ ଏବଂ ଭୌଗଳିକ ସଂପର୍କ । ଏହି କାରଣରୁ ପ୍ରତିବର୍ଷ ଭାଦ୍ରବ ମାସରେ ମା’ ଖଦୁରୁକୁଣୀ ଓଷା ପ୍ରତ୍ୟେକ କୁଆଁରୀମାନେ ପାଳନ କରିଥାନ୍ତି । ଏହା ପରେ ପରେ ମା’ ମଙ୍ଗଳାଙ୍କୁ ପ୍ରତ୍ୟେକ ଘରେ ପୂଜା ପାଇଥାନ୍ତି । ହେଲେ ବର୍ତନୀ ଗ୍ରାମରେ ଏକ ନିଆରା ପରମ୍ପରା ସ୍ୱରୂପ ପ୍ରତ୍ୟେକଙ୍କ ଘରେ ମା’ ମଙ୍ଗଳାଙ୍କ ପୂଜାବିଧି କରାନଯାଇ ଏହି ମା’ କୁଆଁସୀ ମଙ୍ଗଳାଙ୍କ ନିକଟରେ ଗ୍ରାମର ମହିଳାମାନେ ପୂଜାଅର୍ଚ୍ଚନା କରିଥାନ୍ତି । ଏହା ସହିତ ମା’ କୁଆଁସୀ ଶହଶହ ବର୍ଷ ଧରି ଏକ ବଟବୃକ୍ଷ ମୂଳରେ ବିରାଜମାନ କରି ସମସ୍ତଙ୍କୁ କରୁଣା କରୁଥିବାର ଗ୍ରାମବାସୀମାନେ କହନ୍ତି । ସ୍ଥାନୀୟ ଅଂଚଳରେ ମା’ଙ୍କ ପ୍ରତି ଏବଂ ଏହି ବଟବୃକ୍ଷ ପ୍ରତି ରହିଛି ଭକ୍ତିପୂତ ଶ୍ରଦ୍ଧା ଆଉ ସମ୍ମାନ ବୋଲି କହନ୍ତି ଗ୍ରାମର ଶଙ୍କର୍ଷଣ ପାତ୍ର । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଯୁବକମାନେ ସହଯୋଗ କରିଥିଲେ ।