ଭୁବନେଶ୍ୱର ,୨୨/୦୮: ଆସନ୍ତା ୨୩ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୩ରୁ ୨୬ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରୁ ସୂଚନା ମିଳିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୩ ତାରିଖବେଳକୁ ଏକ ଲଘୁଚାପ ସମ୍ଭାବନା ରହିଛି । ମୌସୁମି ସକ୍ରିୟ ଥିବା କାରଣରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଆସନ୍ତା ୨୩ରେ ବାଲେଶ୍ବର, ମୟୂରଭଞ୍ଜ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଦେବଗଡ଼ ଓ ଯାଜପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୪ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ଏବଂ ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ମାଲକାନଗିରି ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି। ତେବେ ୨୫ ଓ ୨୬ରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଏଥିପାଇଁ ଅଧିକାଂଶ ଜିଲାକୁ ରେଡ଼ ୱାର୍ଣ୍ଣିଂ ଜାରି ହୋଇଛି। ତେଣୁ ମତ୍ସ୍ୟଜୀବୀ ଏହି ସମୟରେ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତି ପାଇଁ ସତର୍କ ଓ ସଜାଗ ରହିବା ସହିତ ଆବଶ୍ୟକ ପଡ଼ିଲେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
116