77

ପ୍ରଶାସନ ଅବହେଳାରୁ ଭତ୍ତା ପାଇବାରୁ ବଂଚିତ ହେଲେ ଛଅ ହଜାର ହିତାଧିକାରୀ

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସାମାଜିକ କର୍ମୀ
ରାଜକନିକା,୧୯/୮( ଓଡିଆନ ମିଡ଼ିଆ ): କରୋନା ସମୟରେ ଭତା ପାଉଥିବା ଗରିବ ହିତାଧିକାରୀଙ୍କୁ ଉପହାସ ସହିତ ଉପବାସରେ ରଖାଇଛନ୍ତି ରାଜକନିକା ବ୍ଲକ ପ୍ରଶାସନ । ଏଭଳି ଅଭିଯୋଗ ହୋଇଛି ରାଜକନିକା ବ୍ଲକ୍‌ର କାଟଣାବଣିଆଁ ଗ୍ରାମପଂଚାୟତରେ । ଏହି ପଂଚାୟତରେ ଚଳିତ ମାସରେ ୪୭୦ ଜଣ ଭତା ପାଇବାରୁ ବଂଚିତ ହୋଇଛନ୍ତି । ଏହି ବୟସ୍କ ବୃଦ୍ଧ ବୃଦ୍ଧାମାନେ ପଂଚାୟତ କାର୍ଯ୍ୟାଳୟରୁ ଖାଲିହାତରେ ପେରିବାକୁ ବାଧ୍ୟ ହୋଇଛନ୍ତି । ଏହା ସହିତ ରାଜକନିକା ବ୍ଲକ୍‌ରେ ଛଅ ହଜାର ହିତାଧିକାରୀ ଭତା ପାଇବାରୁ ବଂଚିତ ହୋଇଥିବାର ଜଣାପଡ଼ିଛି । ବ୍ଲକ୍ ପ୍ରଶାସନର ଏଭଳି ଖାମ୍‌ଖିଆଲ କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ଶଙ୍କର୍ଷଣ ଦାସ । ଶ୍ରୀଦାସ ଏହି ଘଟଣାରେ ରାଜକନିକା ବ୍ଲକ୍ ପ୍ରଶାସନକୁ ଦାୟୀ କରିଥିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍ ଯୋଗେ ଅଭିଯୋଗ କରିଛନ୍ତି । ଏଭଳି ଦାୟିତ୍ୱଦୀନ କାର୍ଯ୍ୟ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଦାସ ଦାବି କରିଛନ୍ତି । କରୋନା ମହାମାରୀ ପାଇଁ ରାଜ୍ୟ ସରକାର ମାର୍ଚ୍ଚ ମାସରେ ଚାରି ମାସର ଆଗୁଆ ଭତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଥିଲେ । ଆଗୁଆ ଭତା ଟଙ୍କା ପାଇଥିବା ଗରିବ ହିତାଧିକାରୀମାନେ କରୋନା ସମୟରେ କୌଣସି କାମ ଧନ୍ଦା ନପାଇ ଏହି ଭତା ଟଙ୍କାରେ ଏକ ପ୍ରକାର ଚଳିଯାଇଥିଲେ । ହେଲେ ହଠାତ୍ ଚଳିତ ଅଗଷ୍ଟ ମାସରେ ପ୍ରଶାସିନକ ଅବହେଳା ତୃଟି କାରଣରୁ ଗରିବ ହିତାଧିକାରୀମାନେ ଭତା ଟଙ୍କା ସହିତ କେନ୍ଦ୍ର ସରକାରଙ୍କ ଏକ ହଜାର ଟଙ୍କାର ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ଆଧାର କାର୍ଡ଼ ସଂଯୁକ୍ତ ହୋଇନଥିବା କାରଣରୁ ହିତାଧିକାରୀ ମାନଙ୍କୁ ଭତା ମିଳିପାରିନଥିବାର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ କହିଛନ୍ତି । ଏପଟେ ହିତାଧିକାରୀମାନେ କହିଛନ୍ତିଯେ, ଆଧାର କାର୍ଡ଼ ପଂଚାୟତ ଅଧିକାରୀଙ୍କୁ ଠିକ୍ ସମୟରେ ପ୍ରଦାନ କରିଛୁ । ବ୍ଲକ୍ କାର୍ଯ୍ୟାଳୟରେ ଠିକ୍ ସମୟରେ ମଧ୍ୟ ପଇଠ କରାଯାଇଛି । ହେଲେ ଭତା ଦାୟିତ୍ୱରେ ରହିଥିବା ଅଧିକାରୀଙ୍କ ଅବହେଳା କାରଣରୁ ଆଧାର କାର୍ଡ଼ ସଂଯୋଗ ହୋଇପାରି ନଥିବାର କୁହାଯାଇଛି । ଏଭଳି କରୋନା ମହାମାରୀ ସମୟରେ ଭତା ଟଙ୍କାରେ ନିଜର ପରିବାର ଚଳାଇବା ସହିତ ଦିଓଳି ପେଟକୁ ଦାନା ଗଣ୍ଡେ ଦେବା ପାଇଁ ସକ୍ଷମ ହେଉଥିବା ଗରିବ ଲୋକମାନେ ଭୋକ ଉପାସରେ ପଡ଼ିରହିଛନ୍ତି । ରାଜକନିକା ବ୍ଲକ୍ ଅନ୍ତର୍ଗତ କାଟଣାବଣିଆଁ ଗ୍ରାମପଂଚାୟତରେ ୪୭୦ ଜଣ ଚଳିତ ମାସରେ ଭତା ସହିତ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଏକ ହଜାର ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି । ଏହି ଗରିବ ହିତାଧିକାରୀମାନେ ଭୋକ ଉପାସରେ ପଡ଼ିରହିଛନ୍ତି । ବାଜପୁର ଗ୍ରାମର ମଧୁସୂଦନ ଦାସ(୭୬), ଜୟୀରାମ ବେହେରା(୭୦), ରାଧାଶ୍ୟାମ ଦାସ(୮୦), ଗୋପବନ୍ଧୁ ଦାସ(୭୫), ସାଧୁ ଦାସ(୭୮), କେଶବ ପରିଡ଼ା(୮୨) ଏବଂ ବୈକୁଣ୍ଠନାଥ ଦାସ(୭୦) ପ୍ରମୁଖ ଗରିବ ହିତାଧିକାରୀମାନେ ଏହି ଭତା ଟଙ୍କା ନପାଇବାରୁ କେମିତି ଚଳିବେ କେମିତି ଖାଇବେ ସେହି ଚିନ୍ତାରେ ପଡ଼ିଯାଇଛନ୍ତି । ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ପାଂଚଶହ ଭତା ଏବଂ ୮୦ ବର୍ଷର ଅଧିକ ଲୋକଙ୍କୁ ସାତଶହ ଟଙ୍କାର ଭତା ଦିଆଯିବା ସହିତ କେନ୍ଦ୍ର ସରକାରଙ୍କ ଏକ ହଜାର ଟଙ୍କାର ସହାୟତା ରାଶିରୁ ବଂଚିତ ହୋଇଛନ୍ତି । ଏହି ଘଟଣା ସଂପର୍କରେ ରାଜକନିକା ବିଡ଼ିଓ ବିକ୍ରମ ପରିଡ଼ାଙ୍କୁ ଫୋନ୍ ମାଧ୍ୟମରେ ପଚାରିବାରୁ ସେ କୌଣସି ଉତର ଦେଇନାହାଁନ୍ତି । ଜିଲାପାଳ ଏହି ଘଟଣା ସଂପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ହିତାଧିକାରୀମାନେ ଅନୁରୋଧ କରିଛନ୍ତି ।
Spread the love