Skip to content
କେନ୍ଦ୍ରାପଡା ୧୪/୮(ଓଡିଆନ ମିଡ଼ିଆ)– କେନ୍ଦ୍ରାପଡା ପୋଲିସକୁ ଏକ ବଡ ସଫଳତା ମିଳିଥିବାର ଦେଖାଯାଇଛି । ୨୫ଟି ଚୋରା ବାଇକ ଜବତ ହେବା ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ । କରୋନା ଜନିତ ଲକଡାନସମୟରେ କେନ୍ଦ୍ରାପଡା ଟାଉନ ଓ ସଦର ଥାନା ଅଂଚଳରୁ କ୍ରମାଗତ ଭାବେ ବାଇକ ଚୋରୀ ହେବା ଘଟଣା ପୋଲିସ ମୁଣ୍ଡବ୍ୟଥାର କାରଣ ହୋଇଥିଲା । ମୁଖ୍ୟତଃ ଜଗତପୁର-ଚାନ୍ଦବାଲି ରାସ୍ତାର ତିନିମୁହାଣିଛକ ଠାରୁ ବାଲିଆ ପର୍ଯ୍ୟନ୍ତ ଓ ସହରର ମେଡିକାଲଛକରୁ ଏହି ବାଇକସବୁ ହଠାତ ଚୋରୀ ହେଇଯାଉଥିଲା । ସହର ଅପେକ୍ଷା ସଦର ଥାନା ଅଂଚଳରେ ଅଧିକ ବାଇକ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଚଳିତମାସ ୯ତାରିଖ ରାତି ପ୍ରାୟ ୮ଟା ୧୦ମିନିଟ ସମୟରେ ମେଡିକାଲ ନିକଟସ୍ଥ ସୂର୍ଯ୍ୟ ନର୍ସିଂହୋମ ନିକଟରୁ ପାଟକୁରା ଥାନା ଅନ୍ତର୍ଗତ ବଛରାଇ ଗ୍ରାମର ରଶ୍ମିରଞ୍ଜନ ପ୍ରଧାନଙ୍କ ବାଇକଟିକୁ କେହି ଚୋରିକରିନେଇଥିବା ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସୂର୍ଯ୍ୟ ନର୍ସିଂହୋମରେ ଥିବା ସିସି ଟିଭି ଫୁଟେଜକୁ ଯାଂଚ ପରେ ଜଣାପଡିଥିଲା ଯେ ୨ଜଣ ଏକ ବାଇକରେ ଆସିଥିଲେ । ବାଇକ ଚଳାଉଥିବା ଯୁବକ ଜଣଙ୍କ ନିକଟସ୍ଥ ଜଣଙ୍କ ଘରକୁ ଯାଇଥିବା ବେଳେ ସେହି ବାଇକ ପଛରେ ବସି ଆସିଥିବା ଅନ୍ୟଜଣେ ଯୁବକ ସେଠାରୁ ଚୋରିବାଇକଟିକୁ ନେଇଚାଲିଯାଇଥିଲେ । ବାଇକନେଇ ଆସିଥିବା ଯୁବକ ସମ୍ପର୍କରେ ସେ ସେହିଠାରେ ଯାଇଥିବା ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ପଚରାଯିବାରେ ଜଣାପଡିଥିଲା ଯେ ସେହି ଯୁବକଜଣଙ୍କ ଜଣେ ୪ଚକିଆ ଡ୍ରାଇଭର ଓ ସେ ଗାଡିଭଡା ନେବାକୁ ଆସିଥିଲା ବୋଲି । ଏହାପରେ ସେହି ଗାଡି ଡ୍ରାଇଭର ଜଣଙ୍କ ମୋବାଇଲ ନମ୍ବର ନେଇ ଫୋନ କରିବାରେ ସେ ଅନ୍ୟଜଣଙ୍କ ସହ ଏକ କାରରେ ସେଠାକୁ ଆସିଥିଲା । କିନ୍ତୁ ବାଇକ ସମ୍ପର୍କରେ ସେ ଫାଙ୍କିଦେବା ସହ ତା ସହିତ ଆସିଥିବା ଯୁବକ ଜଣଙ୍କ ସ୍ଥାନୀୟ ଲୋକଙ୍କ ସହ ପାଟିଗୋଳ କରି ମରାମରି କରିବାରେ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଁଚିଥିଲା । ଉଭୟଙ୍କୁ ଥାନାକୁ ନେଇ ପଚରାଉଚୁରା କରିବା ପରେ ଛାଡିଦେଇଥିଲା । କିନ୍ତୁ ଏସମ୍ପର୍କରେ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଖବରପାଇବା ପରେ ଉଭୟଙ୍କ ମୋବାଇଲ ନମ୍ବର ନେଇ ସେହି ଫୋନ ନମ୍ବରର ସିଡିଆର ଡାଟା ମଗାଇଥିଲେ ସେହି ଡାଟା ପାଇବା ପରେ ସଦର ଥାନା ଅଂଚଳରେ ଯେଉଁ ଯେଉଁ ଦିନ ଯେଉଁ ସ୍ଥାନରୁ ବାଇକ ଗୁଡିକ ଚୋରୀ ହୋଇଥିଲା ସେହିସବୁ ସ୍ଥାନରେ ଚୋରୀ ହୋଇଥିବା ସମୟରେ ଏହି ଦୁଇଜଣଙ୍କ ମୋବାଇଲର ଲୋକେସନ ଥିବା ଜଣାପଡିଥିଲା । ଏସବୁ ମିଳିବା ପରେ ସଦର ଥାନା ଇନିସପେକ୍ଟର ଶ୍ରୀ ମଲ୍ଲିକ ଉଭୟଙ୍କୁ ଆଣି ପଚରାଉଚୁରା ଆରମ୍ଭ କରିବା ସହିତ ମୁଖ୍ୟ ଅଭିଯୁକ୍ତ ଭୂବନେଶ୍ୱରସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜର ବିଟେକ ଛାତ୍ର ତଥା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମର ସନ୍ତୋଷ କୁମାର ଜେନାଙ୍କ ପୁଅ ଅଭିଜିତ ଜେନା(୨୦)ର ମୋବାଇଲ ଯାଂଚ କରିବାରେ ଚୋରୀ ହୋଇଥିବା ବାଇକ ଗୁଡିକର ଫଟୋ ଦେଖିବାକୁ ପାଇଥିଲେ । ଅଭିଜିତ ସହିତ ଥିବା ସେହି ଗରାପୁର ଗ୍ରାମର ଦୁରି ମଳିକଙ୍କ ପୁଅ ପୃଥିରାଜ ମଳିକ(୨୦)(ଜଣେ ୪ଚକିଆ ଡ୍ରାଇଭର)କୁ ମଧ୍ୟ ଅଲଗା ଅଲଗା କରି ପଚରାଉଚୁରା କରିବାରେ ସେମାନେ ସମସ୍ତ କଥା ମାନିଯାଇଥିଲେ । କରୋନା ଜନିତ ସଟଡାଉନ ପରେ ଗତ ମଇମାସରେ ପ୍ରଥମେ ଏହି ୨ଜଣ ଏକ ବାଇକ ଚୋରି କରିଥିଲେ । ତାପରେ ପୁନର୍ବାର ଗତ ଜୁଲାଇମାସ ୪ତାରିଖରୁ ଅଗଷ୍ଟମାସ ୨ତାରିଖ ମଧ୍ୟରେ ସଦର ଥାନା ଅଂଚଳରୁ ଏମାନେ ୧୭ଟି ବାଇକ ଚୋରୀ କରିଥିବା ସ୍ୱୀକାର କରିଥିଲେ । ଏମାନେ ପ୍ରଥମେ ବାଇକ ଚୋରୀ କରିବା ପରେ ଦୁହୁରିଆ ରେଲଫ୍ୱେ ଓଭରବ୍ରିଜ ନିକଟରେ ଥିବା ଛତା ବିଜୟ ମଲ୍ଲିକଙ୍କ ପରିତ୍ୟକ୍ତ ଘରେ ତାକୁ ଲୁଚାଇ ରଖିଥାନ୍ତି । ସୁଯୋଗ ଦେଖି ସେହି ବାଇକକୁ ଠାକୁରପାଟଣା ବାଟଦେଇ ଡେରାବିଶି ଥାନା ଅନ୍ତର୍ଗତ ଲକ୍ଷ୍ମିନାରାୟଣପୁର ଠାରେ ଗ୍ୟାରେଜଥିବା ଗୋପିନାଥ ସାହୁଙ୍କ ପୁଅ ଗୈାତ୍ତମ ସାହୁ(୨୬)କୁ ବିକ୍ରୀ କରିଥାନ୍ତି ବୋଲି ପୋଲିସ ଆଗରେ ମାନିଥିଲେ । ଗ୍ୟାରେଜ ମାଲିକ ଗୈାତ୍ତମ ତୁରନ୍ତ ସେହି ବାଇକ ଗୁଡିକୁ ଆସେମ୍ବ୍ଲିଂ କରି ବାଇକର ବିଭିନ୍ନ ପାର୍ଟ୍ସକୁ ବଦଳାଇ ଦେଇଥାନ୍ତି ଓ ଗରାଖ ଯୋଗାଡକରି ସେହି ଚୋରା ବାଇକକୁ ବିକ୍ରୀ କରିଥାନ୍ତି ବୋଲି ସେମାନେ ପୋଲିସକୁ କହିଥିବା ସୂଚନା ମିଳିଛି । ଗୈାତ୍ତମ ଠାରୁ ଚୋରା ବାଇକ କିଣିଥିବା ସେହି ଲକ୍ଷ୍ମୀନାରାୟଣପୁର ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପୁଅ ପିଟୁଂ ଓରଫ ଗଜେନ୍ଦ୍ର ସାହୁ(୨୬) ଏବଂ ମାହାଙ୍ଗା ଥାନା ଅନ୍ତର୍ଗତ ସାହାନାଜପୁର ଗ୍ରାମର ଦୟାନିଶି ମଳିକଙ୍କ ପୁଅ ମଂଟୁ ଓରଫ ରଞ୍ଜନ କୁମାର ମଳିକ(୨୩)କୁ ପୋଲିସ ଧରି ପଚରାଉଚୁରା କରିବାରେ ସେମାନେ ଗୈାତ୍ତମ ଠାରୁ ଚୋରା ବାଇକ କିଣୀଥିବା ମଧ୍ୟ ଜଣାପଡିଥିଲା । ପୋଲିସ ଗୈାତ୍ତମର ଲକ୍ଷ୍ମୀନାରାୟଣପୁରସ୍ଥିତ ଗ୍ୟାରେଜରୁ ୨୦ଟି ଚୋରା ବାଇକ ଜବତ କରିଥିବା ବେଳେ ଚୋରା ବାଇକ କିଣିଥିବା ପିଟୁଂ ଏବଂ ମଂଟୁଙ୍କ ଠାରୁ ୩ଟି ବାଇକ ଜବତ କରିଥିଲା । ଅନ୍ୟ ୨ଟି ବାଇକ ଦୁହୁରିଆ ନିକଟସ୍ଥ ବିଜୟ ମଲ୍ଲିକଙ୍କ ପରିତ୍ୟକ୍ତ ଘରୁ ଜବତ କରିଥିଲା । ସେମାନଙ୍କ ଠାରୁ ୪ଟି ମାଷ୍ଟର ବାଇକ ଚାବି ସମେତ ମୋବାଇଲ ଜବତ କରିଥିବା ସୂଚନା ମିଳିଛି । ଅଭିଜିତ ,ପୃଥିରାଜ ଓ ଗୈାତ୍ତମଙ୍କ ସମେତ ଚୋରା ବାଇକ କିଣିଥିବା ୨ଜଣଙ୍କ ନାମରେ ସଦର ଥାନାରେ ଥାନା କେଶ ନମ୍ବର ୧୦୧/୨୦, ୧୫୬/୨୦, ୧୬୮/୨୦, ୧୬୯/୨୦, ୧୭୩/୨୦, ୧୭୮/୨୦, ୧୮୦/୨୦, ୧୮୧/୨୦, ୧୮୨/୨୦, ୧୮୩/୨୦, ୧୮୫/୨୦, ୧୮୬/୨୦ ଏବଂ ଟାଉନ ଥାନା କେଶ ନମ୍ବର ୧୩୦/୨୦, ୧୩୨/୨୦ ଏବଂ ୧୩୩/୨୦ରେ ଆଇପିସିର ଧାରା ୩୭୯, ୪୧୧, ୪୧୩, ୪୬୭ ଓ ୪୬୮ଦଫାରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଆଜି ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଡିଏସପି କାର୍ତ୍ତିକ କୁମାର ମଲ୍ଲିକ, ଶୁଭେନ୍ଦୁ କୁମାର ସିଂ, ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ,ସ୍ୱତନ୍ତ୍ର ସ୍କ୍ୱାର୍ଡ ସବଇନିସପେକ୍ଟର ପିକେ କାନୁନଗୋଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତଥିଲେ । ଏହି ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଇଞ୍ଜିନିୟରିଂ ଛାତ୍ର ଅଭିଜିତ ଓ ସେ ବାଇକ ଚୋରୀ ପୂର୍ବରୁ ସମସ୍ତ ପ୍ଲାନ ପ୍ରସ୍ତୁତି କରିଥାଏ ବୋଲି ପୋଲିସ ସୂଚନା ଦେଇଛି । ଏହି ଅବସରରେ ଚୋରୀ ଯାଇଥିବା ବାଇକ ମାଲିକମାନଙ୍କୁ ବାଇକର ଚାବି ହସ୍ତାନ୍ତର କରିଥିଲେ ଏସପି ଶ୍ରୀ ଶେଖର ।