132

ମହିଳାଙ୍କୁ କରୋନା, ରାଜକନିକାରେ ଗୋଷ୍ଠୀ ସଂକ୍ରମଣ ଭୟ ଆଶଙ୍କା

ରାଜକନିକା,୩୧/୭(ଓଡ଼ିଆନ୍‌ ମିଡ଼ିଆ): ରାଜକନିକା ବ୍ଲକ୍‌ର ଚେରଟଂପଡ଼ା ଗ୍ରାମରେ ଭଡ଼ାରେ ରହୁଥିବା ଜଣେ ୨୮ ବର୍ଷୀୟ ବିବାହିତ ମହିଳା କରୋନା ପଜେଟିଭ୍ ଜଣାପଡ଼ିବା ପରେ ଗୋଷ୍ଠୀ ସଂକ୍ରମଣର ଭୟ ଦେଖାଦେଇଛି । ସଂପୃକ୍ତ ମହିଳା ଜଣକ ରାଜକନିକାରୁ ବାହାରକୁ ଯାଇନଥିବାର ଜଣାପଡ଼ିଛି । କୌଣସି ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ସେ ରହି ନଥିଲେ । ସାଧାରଣ ଭାବେ ସଂପୃକ୍ତ ମହିଳା ଜଣକ ରାଜକନିକାର ଅଶୋକ ବଜାର, ବ୍ୟାଙ୍କ, ରାଜକନିକା ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି କଂଟପଡ଼ା ବଜାରରେ ଆତଯାତ କରୁଥିବାର ମଧ୍ୟ ଜଣାପଡ଼ିଛି । ହେଲେ ସେ କୌଣସି କରୋନା ବ୍ୟକ୍ତିଙ୍କ ଶଂସ୍ପର୍ଶରେ ଆସିଥିବାର ଅନୁମାନ କରାଯାଉଛି । ସେ ଗତ କିଛିଦିନ ହେବ ଜ୍ୱର ଥଣ୍ଡାରେ ଆକ୍ରାନ୍ତ ହୋଇଥିଲେ । କିଛି ପଡ଼ୋଶୀ କହିବା ପରେ ସଂପୃକ୍ତ ମହିଳା ଜଣ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତରଙ୍କ ପରାମର୍ଶ କରିଥିଲେ । କରୋନା ପରୀକ୍ଷା ପରେ ପଜେଟିଭ୍ ଜଣାପଡ଼ିବା ପରେ ଗୁରୁବାର ଜିଲାପ୍ରଶାସନ ପକ୍ଷରୁ ସଂପୃକ୍ତ ମହିଳାଙ୍କ ସହିତ ତାଙ୍କର ଦୁଇ ଜଣ ଛୋଟପିଲାଙ୍କୁ ମଧ୍ୟ ଛତାସ୍ଥିତ କରୋନା ଚିକିତ୍ସାଳୟକୁ ନିଆଯାଇଛି । ଏହା ସହିତ ସଂପୃକ୍ତ ଗ୍ରାମର ୪୭ ଜଣଙ୍କର ସ୍ୱାବ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା ହୋଇଥିବାର ରାଜକନିକା ବିଡ଼ିଓ ବିକ୍ରମ ପରିଡ଼ା କହିଛନ୍ତି । ଏହି ଗ୍ରାମକୁ କଟେଂନମେଟଂ ଜୋନ୍ ଭାବେ ରାଜକନିକା ବ୍ଲକ୍ ପ୍ରଶାସନ ଘୋଷଣା କରିଛନ୍ତି । ସଂପୃକ୍ତ ଅଂଚଳକୁ ବିଶୋଧନ କରାଯାଇଛି । ହେଲେ ସଂପୃକ୍ତ ମହିଳା ଜଣଙ୍କ ପିତା କାଳିକାପୁର ଛକରେ ଏକ ଚାହା ଦୋକାନ କରିଛନ୍ତି । ମହିଳା ଜଣକ ମଧ୍ୟ ତାଙ୍କ ଘରକୁ ଯାତାୟତ ରହିଥିଲା । ଚା’ କୋଦାନରେ ଚାରିଖଣ୍ଡି ଗ୍ରାମର ବହୁ ଲୋକମାନେ ଚା’ ସହିତ ବରା ପିଆଜି ଖାଇଛନ୍ତି । ଏହି କାରଣରୁ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି । ସଂପୃକ୍ତ ମହିଳାଙ୍କ ପିତା ଏବଂ ତାଙ୍କ ପରିବାର ବର୍ଗଙ୍କ ସ୍ୱାବ ପରୀକ୍ଷା କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହା ସହିତ ଚା’ ଦୋକାନକୁ ଆସିଥିବା ଲୋକମାନଙ୍କ ସ୍ୱାବ ଟେଷ୍ଟ କରିବାକୁ ମଧ୍ୟ ଜିଲାପାଳଙ୍କୁ ସାଧାରଣରେ ଅନୁରୋଧ କରାଯାଇଛି । ପ୍ରଥମ କରି ଜଣେ ସାଧାରଣ ମହିଳାଙ୍କୁ କରୋନା ଆକ୍ରାନ୍ତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଛାନିଆ ଦେଖାଦେଇଛି । ପ୍ରକାଶଥାଉକି ରାଜକନିକା ବ୍ଲକ୍‌ରେ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ୩୮ ଜଣ ବିଦେଶୀ ଫେରନ୍ତା କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

Spread the love