105

ଅଗଷ୍ଟ ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର ,୨୭/୦୭: ଅଗଷ୍ଟ ପ୍ରଥମ ସପ୍ତାହରୁ ରାଜ୍ୟରେ ଲଘୁଚାପ ବର୍ଷା ସମ୍ଭାବନା ରହିଛି। ଜୁଲାଇ ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। କିନ୍ତୁ ଏହା ରାଜ୍ୟରେ ମୌସୁମୀକୁ ପୁଣି ସକ୍ରିୟ କରିବାରେ ସାହାଯ୍ୟ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କଏଭଳି ପୂର୍ବାନୁମାନ କରିଛନ୍ତି ।  ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ଫସଲ ବେଉଷଣରେ ଯେଉଁ ପ୍ରତିବନ୍ଧକ ସୃଷ୍ଟି ହୋଇଛି ତାହା ଦୂର ହେବାର ଆଶା ରହିଛି।

ପାଣିପାଗ ବି​‌ଶେଷଜ୍ଞଙ୍କ ଆକଳନ ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି। କିନ୍ତୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।  ଆସନ୍ତା  ୨୮ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଓ ଏହା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହେବ । ଯାହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଅଗଷ୍ଟ ୧ରେ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ । ଫଳରେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୩୧ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ଅଛି। ଆସନ୍ତା ୨୮ରେ ଝାଡ଼ଖଣ୍ଡରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଯୋଗୁଁ ୨୮ରୁ ୩୦ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଏହା ସଂଲଗ୍ନ ଉତ୍ତର-ପଶ୍ଚିମ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ । ଏହା ସହିତ ଆଭ୍ୟନ୍ତରୀଣ ପଶ୍ଚିମ-ଓଡ଼ିଶାରେ ମଧ୍ୟ ବର୍ଷା ହେବ । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଅନ୍ୟ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲା ଟିକାବାଲିରେ ସର୍ବାଧିକ ୪୫ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ନବାର୍ଣ୍ଣରେ ୩୨ ମିଲିମିଟର, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୩୬ ମିଲିମିଟର, ଭୁବନେଶ୍ୱରରେ ୩୫.୪ ମିଲିମିଟର ଏବଂ କଟକରେ ୩୫ ମିଲିମିଟର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

Spread the love