369

ଚେନ୍ନଇକୁ ହରାଇଲା ରାଜସ୍ଥାନ

ଆବୁଧାବି : ଚଳିତ ଆଇପିଏଲ୍‌ର ଚତୁର୍ଥ ମୁକାବିଲାରେ ରାଜସ୍ଥାନ ରୟାଲ୍ସ  ୧୬ ରନ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ରାଜସ୍ଥାନ ଆଜି ତା’ର ପ୍ରଥମ ମ୍ୟାଚ୍ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ନିଜ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ପ୍ରଥମ ପରାଜୟ ବରଣ କରିଛି।। ୨୦୦୮ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି  ୨୧୭ ରନ୍‌ର   ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୨୦୦ ରନ୍ କରି ହାରିଥିଲା।ଟସ୍‍ ଜିତି ଚେନ୍ନଇ ସୁପର କିଙ୍ଗ୍‍ସ ଫିଲ୍‍ଡିଂ ନେଇଥିଲା। ଆଇପିଏଲରେ ପଦାର୍ପଣ କରିଥିବା ୧୮ ବର୍ଷ ବୟସ୍କ ଯଶସ୍ୱୀ ଜୟସୱାଲ ୬ ରନ୍‍କରି ଆଉଟ୍‍ ହୋଇ ଯାଇଥିଲେ। ସଞ୍ଜୁ ସାମ୍‍ସନ୍‍ କ୍ରିଜ୍‍କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଷ୍ଟିଭେନ୍‍ ସ୍ମିଥ୍‍ ମଧ୍ୟ ରନ୍‍ଭୋଜିରେ ମାତିଥିଲେ। ଫଳରେ ୪ ଓଭରରେ ୨୬ ରନ୍‍ କରିଥିବା ରାଜସ୍ଥାନ ରୟାଲ୍‍ସ ପରବର୍ତ୍ତୀ ୭ ଓଭରରୁ ୧୦୩ ରନ୍‍ ନେଇ ପାରିଥିଲା। ପାୱରପ୍ଲେରେ ୫୪ ରନ୍‍ କରିଥିବା ରାଜସ୍ଥାନ ୯ ଓଭରରେ ୧୦୦ ରନ୍‍ରେ ପହଞ୍ଚି ପାରିଥିଲା। ବିଶେଷକରି ସ୍ପିନରଙ୍କ ବିରୋଧରେ ଆକ୍ରମଣାତ୍କ ବ୍ୟାଟିଂ କରିଥିବା କେରଳର ସଞ୍ଜୁ ସାମ୍‍ସନ ଓ ଅଷ୍ଟ୍ରେଲିଆର ସ୍ମିଥ୍‍ ୨ୟ ୱିକେଟ ପାଇଁ ୧୨୧ ରନ୍‍ର ବିସ୍ଫୋରକ ଭାଗିଦାରୀ କରିଥିଲେ। ମାତ୍ର ୧୯ ରନ୍‍ରେ ସାମ୍‍ସନ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୨ଶ ଓଭରରେ ଆଉଟ ହୋଇଥିବା ସାମ୍‍ସନ ୩୨ ବଲ୍‍ରୁ ୯ଟି ଛକା ଓ ଗୋଟିଏ ଚୌକା ସହ ୭୪ ରନ୍‍କରି ବିଦାୟ ନେଇଥିଲେ। ଏହାର ୨ଟି ବଲ୍‍ ପରେ ବାମହାତି ଡେଭିଡ୍‍ ମିଲର ରନ୍‍ଆଉଟ ହୋଇ ଯାଇଥିଲେ। ରବିନ୍‍ ଉଥପ୍ପା ମାତ୍ର ୫ ରନ୍‍ କରି ପାରିଥିଲେ। ୩୫ ବଲ୍‍ରେ ସ୍ମିଥ୍‍ ଅର୍ଦ୍ଧଶତକ ପୂରଣ କରିଥିଲେ। ସାମ୍‍ କରନ୍‍ଙ୍କ ଗୋଟିଏ ଓଭରରେ ଆଉଟ ହୋଇଥିବା ରାହୁଲ ତିୱତିଆ ୧୦ ଓ ରିୟାନ୍‍ ପରାଗ ୬ ରନ୍‍ କରିଥିଲେ। ସ୍ମିଥ୍‍ ୪୭ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୯ ରନ୍‍ କରିଥିଲେ। ଲୁଙ୍ଗି ଏନ୍‍ଗିଡ଼ି ବୋଲିଂ କରିଥିବା ଶେଷ ଓଭରରେ ଜୋଫ୍ରା ଆର୍ଚର କ୍ରମାଗତ ୪ଟି ଛକା ମାରିବାରୁ ଏହି ଓଭରରୁ ୩୦ ରନ୍‍ ଆସିଥିଲା। ଆର୍ଚର ୮ ବଲ୍‍ରୁ ୨୭ ରନ୍‍କରି ଅପରାଜିତ ଥିଲେ। ସାମ୍‍ କରନ୍‍ ୩ଟି ୱିକେଟ ପାଇଥିଲେ। ରାଜସ୍ଥାନ ଇନିଂସରେ ୧୭ଟି ଛକା ଦେଖିବାକୁ ମିଳିଥିଲା।
Spread the love