188

ଜଗଦଳପୁର ମୁଖ୍ୟ ରାସ୍ତାରେ ଧାନଗଛ ଲଗାଇ ପ୍ରତିବାଦ ଜଣାଇଲେ ବିଜେପି ନେତା ଓ ଗ୍ରାମବାସୀ

ଗଞ୍ଜାମ,୧୫/୯(ମନୋଜ ପାତ୍ର):ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା ।ରାସ୍ତା ନିର୍ମାଣ ହେବାର ବର୍ଷେ ଅତିକ୍ରମ ହୋଇଛି । କିନ୍ତୁ ଉକ୍ତ ରାସ୍ତା ବର୍ତ୍ତମାନ ଗ୍ରାମବାସୀ ଙ୍କ ପାଇଁ ମରଣଯନ୍ତା ସଦୃଶ ପାଲଟିଛି । ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଲୁଚାପଡା ଠାରୁ ରତନପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଥିଲା ।ଫଳରେ ଜଗଦଳପୁର ଗ୍ରାମବାସୀ ଅତ୍ୟନ୍ତ ଖୁସି ହୋଇପଡିଥିଲେ ଏହି ଚଉଡା ରାସ୍ତା ଦେଖି । କିନ୍ତୁ ଜାନିବିଲି ଜଳ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ହୋଇଥିବା ଏଲ ଆଣ୍ଡ ଟି ସଂସ୍ଥା ସମ୍ପୂର୍ଣ୍ଣ ରାସ୍ତାକୁ ଜେସିବି ଦ୍ଵାରା ଖୋଳି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଯଦ୍ବାରା ସ୍ଥାନୀୟ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଜନସାଧାରଣ ଉକ୍ତ ରାସ୍ତା ଦେଇ ଯାତାୟାତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଗ୍ରାମବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୁଣି ଏକ ଭଲ ରାସ୍ତାଟିଏ ନିର୍ମାଣ କରିବା ପ୍ରତିବାଦରେ ବିଜେପି ନେତା ଚିନ୍ମୟାନନ୍ଦ ଦାସ ଓ ସ୍ଥାନୀୟ ଅଞ୍ଚଳବାସୀ ଖାଲଖମା ରାସ୍ତାରେ ଧାନଗଛ ରୋଇ ସ୍ଥାନୀୟ ବିଧାୟକ ତଥା ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଘୋର ବିରୋଧ କରିଥିବା ଦେଖିବାକୁ ମିଳିଛି ।ତେବେ ଜଗଦଳପୁର ଗ୍ରାମରେ ଜାନିବିଲ ପ୍ରକଳ୍ପ ହେବା ଯୋଗୁଁ ବ୍ରହ୍ମପୁର ସହରବାସୀ ସୁବିଧାରେ ପାଣି ପାଇପାରୁଛନ୍ତି ।କିନ୍ତୁ ଜଗଦଳପୁର ଗ୍ରାମରେ ଯାନୀବିଲି ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଗ୍ରାମବାସୀ ଟୋପାଏ ପାଣି ନପାଇ ଦୀର୍ଘ ବର୍ଷ ଧରି ହଇରାଣ ହେଉଛନ୍ତି ।ତେବେ କେଉଁ କାରଣ ଯୋଗୁଁ ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରାଯାଉ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଏବେ ଯେଉଁ ରାସ୍ତା କାମ ହୋଇଛି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଛି ।ସେଥିପାଇଁ ପୁଣି ରତ୍ନପୁର ଠାରୁ ଲୋଚାପଡ଼ା ହନୁମାନ ମନ୍ଦିର ପର୍ଯନ୍ତ ଖାଲଖମା ହୋଇଥିବା ରାସ୍ତାକୁ ପରିପୂର୍ଣ କରିବା ସହ ପି.ଡବ୍ଲ୍ୟୁ.ଡି ବିଭାଗକୁ ରାସ୍ତା ନିର୍ମାଣ ଦାଇତ୍ୱ ଦିଆଯାଉ ।ନଚେତ ଆସନ୍ତା ଦିନରେ ପାଣି ଓ ରାସ୍ତା ପାଇଁ ଏକ ବଡଧରଣର ଆନ୍ଦୋଳନ କରାଯିବ ବୋଲି ବିଜେପି ନେତା ମହନ୍ତ ଚିନ୍ମୟାନନ୍ଦ ଦାସ ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଏ.ବାବୁଲା ପାତ୍ର, କୁରା ସେଠି ଓ ବୁଲା ପାତ୍ରଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।
Spread the love