210

ବନ୍ୟାରେ ସ୍ମୃତି ହୋଇଗଲେ ଶ୍ରୃତିରେଖା

ରାଜକନିକା,୧/୯(ଓଡିଆନ ମିଡ଼ିଆ): ଜୀବନ କ’ଣ ଜାଣିବା ପୂର୍ବରୁ ମାତ୍ର ଦୁଇ ବର୍ଷ ବୟସରେ ଜୀବନ ହାରିଲେ ବାପା ମା’ଙ୍କର ଗେହ୍ଲାଝିଅ ଶ୍ରୃତି । ଚଳିତ ବନ୍ୟାରେ ନିଜ ଘର ଆଗରେ ବନ୍ୟାପାଣିରେ ବୁଡ଼ି ପ୍ରାଣ ହରାଇଲେ ରାଜକନିକା ବ୍ଲକ୍ ଭାରିଗଦା ପଂଚାୟତ ଦଶଭଗାରିଆ ଗ୍ରାମର କୁଳମଣି ବେହେରାଙ୍କ ଏକ ମାତ୍ର ଝିଅ ଶ୍ରୃତିରେଖା । ବନ୍ୟାପାଣି ସାରା ଗାଁକୁ ଘେରି ରହିଛି । ଘରୁ ପାଦ କାଢ଼ିଲେ ପାଣି ଆଉ ପାଣି । ହେଲେ ବିଚରା ଶ୍ରୃତିର ନଥିଲା, ବିଚାର ବୁଦ୍ଧି । ପୂର୍ବ ଦିନ ଭଳି ଖେଳିବୁଲିବାକୁ ସେ ଘରୁ ପଦାକୁ ଗୋଡ଼ କାଢ଼ିଥିଲା । ହେଲେ ଅଥଳ ପାଣିରେ ବୁଡ଼ିଯାଇଥିଲା ସେ । ନିମିଷକ ମଧ୍ୟରେ ତାର ପ୍ରାୟବାୟୁ ଉଡ଼ିଯାଇଥିଲା । ଘରଲୋକମାନେ ଦେଖୁ ଦେଖୁ ପାଣିରେ ମୁହଁ ମାଡ଼ି ଭାସୁଥିଲା ଶ୍ରୃତି । ଅକାଳରେ ଝରିଗଲା ଗୋଟିଏ ଜୀବନ । ଶ୍ରୃତିର ମୃତ୍ୟୁ ଖବର ଗାଁରେ ଶୋକର ଛାୟା ଖେଳାଇ ଦେଇଛି । ସତେ ଯେମିତି ବନ୍ୟାରେ ସ୍ମୃତି ପାଲଟିଗଲେ ଶ୍ରୃତିରେଖା । ଖବର ପାଇ ଭାରିଗଦା ସରପଂଚ ପ୍ରଦୀପ୍ତ ମଲ୍ଲିକ ଏବଂ କନିକା ତହସିଲଦାର ବିକ୍ରମ କିଶୋର ପରିଡ଼ା ଦଶଭଗାରିଆରେ ପହଂଚି କୁଳମଣିଙ୍କୁ ଦଶ ହଜାର ଟଙ୍କାର ତତ୍କାଳ ସହାୟତା ସହିତ ଶାନ୍ତ୍ୱନା ପ୍ରଦାନ କରିଛନ୍ତି ।
Spread the love