112

ଆଜିଠୁ ଜେଇଇ ଓ ନିଟ୍ ପରୀକ୍ଷା

ଭୁବନେଶ୍ୱର, ୧/୯ : ଆଜିଠୁ ୬ ଦିନ ଯାଏ  JEE ମେନ୍‌ ପରୀକ୍ଷା ଚାଲିବ। ରାଜ୍ୟରେ ୭ଟି ସହରର ୨୬ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ଚଲିତ ଥର ରାଜ୍ୟର ୩୮ ହଜାର ୨୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଢେଙ୍କାନାଳ, ବାଲେଶ୍ବରରେ ପରୀକ୍ଷା କେନ୍ଦ୍ର କରାଯାଇଛି।ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ସାରା ଦେଶରେ ୬୬୦ ପରୀକ୍ଷା କେନ୍ଦ୍ର ହୋଇଛି । ୯ଲକ୍ଷ ୫୩ହଜାର ୪୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତଥର ଅପେକ୍ଷା ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇ ଦିଆଯାଇଛି। ପ୍ରତି ସିଫ୍ଟରେ ୮୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଦ୍ୱିତୀୟ ସିଫ୍ଟ ପରୀକ୍ଷା କରାଯିବ । ଓଡିଶାର ୭ ଟି ସହରର ୨୬ଟି କେନ୍ଦ୍ରରେ ୩୮ହଜାର ୨୩୬ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍  ପରୀକ୍ଷା ଦେବେ । ଭୁବନେଶ୍ୱର ସହରରେ ସର୍ବାଧିକ ୬ଟି ପରୀକ୍ଷା କେନ୍ଦ୍ରରେ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ବାକି ୨୦ଟି କେନ୍ଦ୍ର ହୋଇଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଗେଟ୍  ବନ୍ଦ ହେବା ପରେ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପରୀକ୍ଷା ସରିବା ପୂର୍ବରୁ କେହି ହଲ ଛାଡ଼ି ଯିବେନି। ଆଡମିଟ୍  କାର୍ଡ ସହ ସେଲ୍ଫ ଡିକ୍ଲାରେସନ କାଗଜ, ବଲ୍  ପଏଣ୍ଟ ପେନ, ନିଜସ୍ୱ ପାଣି ବୋତଲ ଓ ହ୍ୟାଣ୍ଡ ସାନିଟାଇଜର ଆଣି ଆସିବେ। ସରକାରଙ୍କ ଦ୍ଵାରା ପ୍ରଦତ୍ତ ଯେକୌଣସି ପରିଚୟପତ୍ର ସାଙ୍ଗରେ ଆଣି ଆସିବେ। ଇଲେକ୍ଟ୍ରୋନିକ୍ସ ଯନ୍ତ୍ର, ମୋବାଇଲ ଆଦି ସାମଗ୍ରୀ ଆଣିବା ଉପରେ କଟକଣା ଲାଗୁ ହୋଇଛି। ଜୋତା, ମୋଜା, ଲମ୍ବା ହାତ ଥିବା ସାର୍ଟ ପିନ୍ଧିବେ ନାହିଁ। କୋଭିଡ୍ -୧୯ କଟକଣା କଡ଼ାକଡ଼ି ପାଳନ ହେବ। ପ୍ରତ୍ୟେକ ସିଫ୍ଟ ପରେ ପରୀକ୍ଷା କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ମନିଟର, କି-ବୋର୍ଡ, ମାଉସ୍ , ଡେସ୍କ, ଚେୟାର, ବେଞ୍ଚ, ଡୋର୍  ହାଣ୍ଡେଲ, ଲିଫ୍ଟ ବଟନ ଆଦି ଭଲ ଭାବେ ସାନିଟାଇଜ ହେବ । ପ୍ରତି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦୁଇଟି ସିଟ୍  ବ୍ୟବଧାନ ରହିବ। ପରୀକ୍ଷା କେନ୍ଦ୍ରର ପ୍ରବେଶ ଓ ପ୍ରସ୍ଥାନ ପଥରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ।
Spread the love