134

ତାଳଚୁଆ-ପଟ୍ଟାପାରିଆ ପ୍ରଧାନମନ୍ତ୍ରୀ ସଡକଯୋଜନା ରାସ୍ତା ପାଲଟିଛି ମରଣଯନ୍ତା

ରାଜନଗର,୨୭ା୮(ଓଡିଆନ ମିଡିଆ): ରାଜନଗର ବ୍ଲକ ତାଳଚୁଆ ଠାରୁ ପଟ୍ଟାପାରିଆ ଯାଏ କରାଯାଇଥିବା ପ୍ରଧାନମନ୍ତ୍ରୀ ସଡକଯୋଜନା ରାସ୍ତା ମରଣଯନ୍ତା ପାଲଟିଛି । ତିନିବର୍ଷତଳେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ନିମ୍ନ ମାନର କାମ ହେତୁ ରାସ୍ତାସାରା ବଡବଡ ଗାଢ ସୃଷ୍ଟିହୋଇଛି । ଏପରିକି ସ୍ଥାନେ ସ୍ଥାନେ ଛୋଟ ଗାଡିଆର ଭ୍ରମ ସୃଷ୍ଟିକରୁଛି । ସାମାନ୍ୟ ବର୍ଷାରେ ରାସ୍ତାରେ ବର୍ଷାଜଳ ଜମିରହି ନାହିଁନଥିବା ପରିସ୍ଥିତି ସୃଷ୍ଟିକରିଛି । ତାଳଚୁଆ ବଜାର, ଧାମରା ସର୍ବୋପରି ବ୍ଲକ ସଦର ମହକୁମାକୁ ଏହା ଏକମାତ୍ର ରାସ୍ତା । ଏହି ରାସ୍ତା ଉପରେ ବାଘମାରୀ, ରଙ୍ଗଣୀ ଓ କେରୁଆଁପାଳ ପଞ୍ଚାୟତର ୧୦ହଜାରରୁ ଉର୍ଦ୍ଧ୍ୱ ଲୋକେ ଯାତାୟତ କରିଥାନ୍ତି । ବଡକଥା ହେଉଛି ଏହି ରାସ୍ତାଦେଇ ରଙ୍ଗଣୀ ଓ କେରୁଆଁପାଳ ପଞ୍ଚାୟତର ଛାତ୍ର ଛାତ୍ରୀମାନେ ବିବେକାନନ୍ଦ ହାଇସ୍କୁଲକୁ ଆସିଥାନ୍ତି । ବିଶେଷକରି ଟିକାଏତନଗର ଛକଠାରୁ ତାରିଣୀ ଛକ ପର୍ଯ୍ୟନ୍ତ ପ୍ରାୟ ଦୁଇକି.ମି ରାସ୍ତା ଅବସ୍ଥା କହିଲେ ନସରେ । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲେ ବି ଏଭଳି ନିମ୍ନ ମାନର କାମ ହୋଇଥିଲା ଯେ ପିଚୁତ ଦୂରରକଥା , ସମ୍ପୂର୍ଣ୍ଣ କଚ୍ଚା ରାସ୍ତାରେ ପରିଣତ ହୋଇଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କଲେ ମଧ୍ୟ ଫଳ ଶୂନ ବୋଲି ରଙ୍ଗଣି ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ସୁଧିରପାଳ, ତାଳଚୁଆ ସରପଞ୍ଚ ନିରଞ୍ଜନ ବେରା, ଆଦିତ୍ୟ ପାତ୍ର, ସୁଜିତକୁମାର ମାଇତି ଜୟଦେବ ସାସମଲ ପ୍ରମୁଖ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଅଶୋକକୁମାର ରାଉତଙ୍କୁ ପଚାରିବାରୁ ବର୍ଷା ଛାଡିଲେ ଖୁବ ଶିଘ୍ର ମରାମତି କରାଯିବ ବୋଲି କହିଛନ୍ତି ।

Spread the love