251

ସମୟ

ପଛରୁ ଅଟକାଅନା ଡାକିଲେ
ଜବାବ ଦେଉନଥିବା ସମୟକୁ,
ଚାଲିଗଲା “ଅତୀତ”କୁ ଦେଖ ଏବେ,
ଦେହ ପଛରେ ଲମ୍ବା ଛାଇ କେବେଠୁ,
“ବର୍ତ୍ତମାନ” ସିଏ ,ଯିଏ ଲୁଚକାଳି ଖେଳେ
ବୋଲି ଦିଶେନା ଖୋଜିଲା ଆଖିକୁ
ଗଭିର ଖାଇରେ ଅଦୃଶ୍ୟ “ଭବିଷ୍ୟତ”,
ତାକୁ ଅଣ୍ଡାଳିଲେ ଥଳ ପାଏନା ଆଗକୁ,
ତମେ କ’ଣ ସତରେ ବସିପଡ଼ିଛ
ନିଧଡକ ଭରସା କରି ତାଙ୍କୁ,
ଭଗବାନ ତ ବଦନାମ,
ଭାଙ୍ଗିବାରେ ନିଜ ପ୍ରତିଶ୍ରୁତିକୁ,
ନିଜ ହାତରେ ନିଜେ ଗୋଟେଇ ନିଅ
ଏବେ ନିଜ ଉପାର୍ଜିତ ଅସହାୟତାକୁ,
ପାରୁଛ ତ ଭାଗ୍ୟ ଦୁର୍ଭାଗ୍ୟକୁ
ଏକାଠି କରିଦିଅ,
ପୋଛିଦେଇ ପାପୁଲିର ତମାମ ରେଖାକୁ,
ପଛରୁ ଡାକିବା ପୂର୍ବରୁ ସାବଧାନ
ଧାବମାନ ସ୍ଵାର୍ଥପର ସମୟକୁ ।
ଅଜଣା ବାଟରେ ଝୁଣ୍ଟିବାର ଡର ନରଖି
ଏବେ ମାଡିଚାଲ ଆଗକୁ ଆଗକୁ ।
କାରଣ ଡରକୁ ଡେଇଁଗଲେ ଥରେ
ଡେରି ନୁହେଁ ଆଲୁଅରେ ପହଞ୍ଚିବାକୁ…!!!
   -ଡ଼ାକ୍ତର ବିକେ ପ୍ରଶାନ୍ତ କୁମାର
Spread the love