ନୂଆଦିଲ୍ଲୀ,୧୯/୮ : ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍ବିଆଇ) ଏହାର କେତେକ ଏଟିଏମ୍ରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଛି। ପରିବର୍ତ୍ତିତ ନିୟମ ଅନୁଯାୟୀ, ଏସ୍ବିଆଇ ମେଟ୍ରୋ ସହରର ସଞ୍ଚୟ ଜମା ଖାତାଧାରୀଙ୍କୁ ଏଟିଏମ୍ରୁ ମାସକରେ ୮ ଥର ଓ ଗ୍ରାମାଞ୍ଚଳରେ ୧୦ଥର ମାଗଣା ଟଙ୍କା ଉଠାଣ ଅନୁମତି ରହିଛି। ଏଥିରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୫ ଥର ଏସବିଆଇ ଏଟିଏମରୁ ଓ ଅବଶିଷ୍ଟ ଥର ଯେ କୌଣସି ବ୍ୟାଙ୍କର ଏଟିଏମ୍ରୁ ଉଠାଣ ସୁବିଧା ରହିଛି। ଏହି ମାଗଣା ଉଠାଣ ସୀମା ଅତିକ୍ରମ କଲେ ଗ୍ରାହକଙ୍କ ଉପରେ ପ୍ରତିଟି ଉଠାଣ ବାବଦକୁ ଦେୟ (ଚାର୍ଜ) ଲାଗିବ। ଯଦି ଗ୍ରାହକଙ୍କ ଖାତାରେ ଅଧିକ ବାଲାନ୍ସ ନ ଥିବା କାରଣରୁ କାରବାର ବିଫଳ(ଟ୍ରାଞ୍ଜାକ୍ସନ୍ ଫେଲ୍) ହୋଇଯାଏ, ତେବେ ଖାତାଧାରୀଙ୍କଠାରୁ ଶୁଳ୍କ ବାବଦକୁ ୨୦ ଟଙ୍କା ସହିତ ଜିଏସଟି ମଧ୍ୟ ଆଦାୟ କରାଯିବ। ଏ ସମ୍ପର୍କରେ ଏସ୍ବିଆଇ ଏହାର ୱେବସାଇଟରେ ସୂଚନା ଦେଇଛି। ଏହାସହ ନୂଆ ନିୟମ ଅନୁଯାୟୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କୁ ଏସ୍ଏମ୍ଏସ୍ ଆଲର୍ଟ ପାଇଁ କୌଣସି ପ୍ରକାର ଚାର୍ଜ ଦେବାକୁ ପଡିବନାହିଁ। କାରଣ ଏସ୍ବିଆଇ ଏହାର ଖାତାଧାରୀଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ଆସୁଥିବା ଏସ୍ଏମ୍ଏସ୍ ଆଲର୍ଟ ଚାର୍ଜ ଶେଷ କରିଦେଇଛି ।
92