Skip to content
ଜଗନ୍ନାଥ ପ୍ରସାଦ,୧୮/୮(ଲକ୍ଷ୍ମୀନାରାୟଣ ବେହେରା): ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ରାଜନୈତିକ ଜିଲ୍ଲା ଗଞ୍ଜାମରେ ଜଣେ ସଂଗ୍ରାମୀଙ୍କ ବିଧବା ପତ୍ନୀଙ୍କ ଅକୁହା ବେଦନା ଅସହ୍ୟ ହୋଇପଡ଼ିଛି । ଏମିତିକି ସଂଗ୍ରାମୀ ଭତା ପାଇଁ ୧୯୮୩ ମସିହାରୁ ଚେଷ୍ଠା କରି ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ଭବପର ହୋଇପାରି ନାହିଁ । ଏହା ମଧ୍ୟରେ ସଂଗ୍ରାମୀଙ୍କ ପରଲୋକ ହୋଇଛି । ଆଉ ଭୋକ ଉପାସରେ ରହିଛନ୍ତି ପରିବାର । ଭୋକ ଆଉ ଅଭାବ ଅନଟନ କାରଣରୁ ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଏହି ସଂଗ୍ରାମୀ ପରିବାର । ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ଡ଼ିମିରିପଲ୍ଲୀର ସଂଗ୍ରାମୀ ସୋମନାଥ ପରିଡ଼ା । ଦେଶ ସ୍ୱାଧୀନରେ ରହିଥିଲା ତାଙ୍କର ଅତୁଳନୀୟ ଅବଦାନ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଆହତ ସଂଗ୍ରାମୀ ମାନଙ୍କ ଚିକିତ୍ସା କରୁଥିଲେ, ସୋମନାଥ । ହେଲେ ଦେଶ ସ୍ୱାଧୀନ ହେଲା । ଆଉ ଆଜି ୭୪ ବର୍ଷ ପରେ ଦେଶ ପାଇ ନିଜ ଜୀବନକୁ ତିଳ ତିଳ କରି ଜାଳିଥିବା ସଂଗ୍ରାମୀଙ୍କ ପରିବାର ଆଜି ବଡ଼ ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି । ସଂଗ୍ରାମୀ ସୋମନାଥ ଭତା ପାଇବା ପାଇଁ ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ବହୁବାର ଚିଠି ଲେଖି ଲେଖି ଥକି ଯାଇଥିଲେ ମଧ୍ୟ ଉତା ପାଇପାରି ନଥିଲେ । ଜିଲାପାଳଙ୍କ ଠାରୁ ବହୁ ସରକାରୀ ବାବୁଙ୍କୁ ଭେଟି ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନଥିଲା । ଶେଷରେ ଭୋକ ଉପାସରେ ପଡ଼ି ପଡ଼ି ପ୍ରାଣ ହରାଇଲେ ସୋମନାଥ । ତାଙ୍କ ମୃତ୍ୟୁ ପରେ ପରିବାର ଉପରେ ଅଧିକ ସମସ୍ୟା ପଡ଼ିଯାଇଥିଲା । କେମିତି ବଂଚିବେ ସେହି ଭାବନାରେ ରହିଥିଲେ ତାଙ୍କ ସ୍ତ୍ରୀ । ଯେତେବେଳେ ଅଣ ସଂଗ୍ରାମୀ ମାନେ ସ୍ୱାଧୀନତା ସଂଗ୍ରାମୀ ଭତା ପାଇବାରେ ସଫଳ ହୋଇପାରିଛନ୍ତି । ସେତେବେଳେ ସୋମନାଥଙ୍କ ଭଳି ପ୍ରକୃତ ସଂଗ୍ରାମୀ ମାନେ ଆଜି ସରକାରଙ୍କ ନିକଟରେ ଅଲୋଡ଼ା ହୋଇପଡ଼ିଛନ୍ତି । ଏଭଳି ନିଜକୁ ସ୍ୱାଧୀନତା ସଂଗ୍ରାମୀର ପରିଚୟ ଖୋଜୁ ଖୋଜୁ ପରଲୋକରେ ସୋମନାଥ । ହେଲେ ତାଙ୍କ ସ୍ତ୍ରୀ ଏବଂ ୪ ଜଣ ପିଲା ଭୋକ ଉପାସରେ ନିଜ ଜୀବନ କାଟୁଛନ୍ତି । ଆର୍ଥିକ ଅନଟନ କାରଣରୁ ସଂଗ୍ରାମୀଙ୍କ ପରିବାର ନିଜ ଭିଟାମାଟି ଛାଡ଼ି ବାପ ଘର ଜଗନ୍ନାଥ ପ୍ରସାଦର ଚିକିଲି ରହୁଛନ୍ତି । ଏଭଳି ଦୁଃଖ ଯନ୍ତ୍ରଣାରେ ରହୁଥିବା ସଂଗ୍ରାମୀଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ପଡ଼ିବା ନେଇ ଆଶା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା ।